ଶ୍ରୀ ଶିରିଡି ସାଇବାବା |
ଯୁଗ ଯୁଗ ଧରି ଭାରତ ବିଭିନ୍ନ ସନ୍ଥ ମହାତ୍ମା ମାନଙ୍କର କର୍ମଭୂମି ରହି ଆସିଛି ଯେଉଁମାନଙ୍କ ପ୍ରେରଣା ଓ ତତ୍ତ୍ୱାବଧାନରେ ଭାରତ ର ସାମାଜିକ ତଥା ସାଂସ୍କୃତିକ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି | ବୋଧ ହୁଏ ଶିରିଡି ସାଇବାବାଙ୍କ ହିଁ ଏକମାତ୍ର ସନ୍ଥ ଯିଏ କି ମହାରାଷ୍ଟ୍ର ର ଅହମଦ୍ନଗର ଜିଲ୍ଲା ର ଶିରିଡି ଭଳି ଏକ ଛୋଟ ଗ୍ରାମରେ ପ୍ରଥମେ ଆବିର୍ଭୂତ ହୋଇ ମଧ୍ୟ ସମଗ୍ର ବିଶ୍ବର ଉଚ୍ଚତମ ଆଧ୍ୟ୍ୟାତ୍ମିକ ପ୍ରଗତି କରିପାରିବାରେ ସକ୍ଷମ ହୋଇପାରିଛନ୍ତି |
ବାବାଙ୍କ ବାଲ୍ୟାବସ୍ଥା ଏବଂ ପରିବାର ର ପୃଷ୍ଠଭୂମି ବିଷୟରେ ସଠିକ୍ କିଛି କାହାକୁ ଜଣା ନାହିଁ, ଯଦିଓ ସମୟ ସମୟରେ ବାବା(ମାନେ ବାପା-ଭକ୍ତମାନେ ତାଙ୍କୁ ଶ୍ରଦ୍ଧାପୁର୍ବକ ଏହି ନାମେ ସମ୍ବୋଧନ କରୁଥିଲେ) ପାଥ୍ରୀ(ସେଲୁ ନିକଟସ୍ଥ) ନାମକ ଏକ ଗ୍ରାମ ସହିତ ନିଜର ସଂପର୍କ ଥିବାର ଇଙ୍ଗିତ ଦ୍ବାରା ପ୍ରକାଶ କରିଥିଲେ | କେବେ କେବେ ବାବା ନିଜକୁ କବୀରପନ୍ଥୀ ବୋଲି ମଧ୍ୟ କହୁଥିଲେ ତଥା ତାଙ୍କୁ ଅନ୍ୟ ସୁଫୀ ସନ୍ଥଙ୍କ ପରି ପାର୍ସୀ, ଆରବୀ ଆଦି ଭାଷା ଗୁଡିକରେ କଥା ହେଉଥିବାର ମଧ୍ୟ ଲୋକେ ଦେଖିଥିଲେ | ସେ ଭକ୍ତମାନଙ୍କୁ ନିଜର ଯୋଗ୍ୟତା ଏବଂ ଆଧ୍ୟାତ୍ମିକ ପ୍ରଗତି ପାଇଁ ଆବଶ୍ୟକତା ମୁତାବକ ଶ୍ରୀମଦ୍ ଭଗବତ୍ ଗୀତା,ଐକନାଥୀ ଭାଗବତ, ଶ୍ରୀ ବିଷ୍ଣୁ ସହସ୍ରନାମ ଏବଂ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ପାଠ କରିବା ପାଇଁ ଉପଦେଶ ଦେଉଥିଲେ ଯେପରିକି ସେମାନଙ୍କର ଶଙ୍କା ଦୂର ହେବ,ଯଦିଓ ଅନ୍ୟାନ୍ୟ ଧର୍ମାବଲମ୍ବୀ ଯେଉଁମାନେ ତାଙ୍କ ଦର୍ଶନାର୍ଥେ ଶିରିଡିକୁ ଆସୁଥିଲେ, ସେମାନଙ୍କୁ ବାବା ସେମାନଙ୍କ ଧର୍ମାନୁସାରେ ପଥ ପ୍ରଦର୍ଶନ କରିଥିଲେ,ଯାହାକି ତାଙ୍କର ସବ୍କା ମାଲିକ୍ ଏକ୍ ବା ଏକ ହିଁ ପ୍ରଭୁ ନିୟମ କୁ ଦର୍ଶାଇଥାଏ | ତେବେ ଏହା କଅଣ ଚମତ୍କାର ନୁହେଁ କି ମାନବିକତା, ବିଶ୍ୱାସ, ସହ୍ୟତା, ଶୁଦ୍ଧ ଭକ୍ତି ଓ ଧୈର୍ଯ୍ୟ ଯାହା କି ବାବାଙ୍କ ମୂଳ ଆଦର୍ଶ ଓ ଦର୍ଶନ, ରେ ପ୍ରଭାବିତ ହୋଇ ସାରା ବିଶ୍ୱ ର ପ୍ରତ୍ୟେକ କୋଣ, ଅନୁକୋଣ ରୁ ଭକ୍ତଙ୍କ ଧାଡି ଆଜି ଶିରିଡିରେ ବାବାଙ୍କ ସମାଧି ଦର୍ଶନ କରିବାକୁ ଜମୁଛି ? ଅସଂଖ୍ୟ ଶିରିଡି ସାଇ ମନ୍ଦିର ମାନ ନିର୍ମିତ ହେଉଛି ଯେଉଁଗୁଡୁକ ସାଇ ଦର୍ଶନର ମୁଖ୍ୟ କେନ୍ଦ୍ର ପାଲଟିଛି |
ହଜ୍ରତ୍ ତାଜୁଦ୍ଦିନ୍ ବାବା(ନାଗ୍ପୁର),ହଜ୍ରତ୍ ବାବାଜାନ୍(ପୁନେ),ସ୍ବାମୀ ସମର୍ଥ, ଶେର୍ଗାଓଁ ଅକଲା ର ସଦଗୁରୁ ଗଜାନନ ମହାରାଜ ଆଦିଙ୍କ ପରି ଶ୍ରୀ ଶିରିଡି ସାଇ ବାବା(ଯିଏକି ଏମାନଙ୍କ ସମସାମୟିକ)ଙ୍କୁ ମଧ୍ୟ ଦତ୍ତାତ୍ରୟଙ୍କ ଅବତାର ବୋଲି ବିଶ୍ବାସ କରାଯାଏ |
ଶିରିଡି ରେ ନିଜର ୬୦/୭୦ ବର୍ଷର ବସବାସ ମଧ୍ୟରେ ବାବା କେବେହେଲେ ନିମ୍ଗାଓଁ ବା ରାହାତା ଛଡା ଅନ୍ୟତ୍ର ଭ୍ରମଣ ପାଇଁ ଯାଇ ନାହାଁନ୍ତି ତଥାପି ସମଗ୍ର ବିଶ୍ୱରେ ଘଟୁଥିବା ସମସ୍ତ ଘଟଣା ବିଷୟରେ ତାଙ୍କୁ ଜ୍ଞାତ ଥିଲା | ବାଳ ଗଙ୍ଗାଧର ତିଳକ ଆଦିଙ୍କ ପରି ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନେ ମଧ୍ୟ ବାବାଙ୍କ ଦର୍ଶନ ହେତୁ ଶିରିଡି ଆସୁଥିଲେ ଯେଉଁଥିପାଇଁ ବ୍ରିଟିଶ୍ ସରକାର ବାବାଙ୍କ କାର୍ଯ୍ୟକଳାପକୁ ନିରିକ୍ଷଣ କରିବା ସକାଶେ ଗୁପ୍ତଚର ନିଯୁକ୍ତ କରିଥିଲେ|କିନ୍ତୁ ଏହାର କୌଣସି ବି ପ୍ରଭାବ ନା ବାବା ଙ୍କ ଉପରେ ପଡିଲା, ନା ତାଙ୍କ ଦର୍ଶନାର୍ଥେ ଶିରିଡି ଆସୁଥିବା ଭକ୍ତଙ୍କ ଉପରେ | ଏଥିରୁ, ବାବାଙ୍କ ପ୍ରଭାବ ଯେ କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ଥିଲା ତା ନୁହେଁ ବରଂ ସମଗ୍ର ସରକାରୀ କଳ ଉପରେ ମଧ୍ୟ ଥିଲା, ତାହା ଜଣା ପଡିଥାଏ | କିଏ ବାବାଙ୍କ ନିକଟକୁ ନିଜର ଆଧ୍ୟତ୍ମିକ ପ୍ରଗତି ସକାଶେ ମାର୍ଗ ଦର୍ଶନ ହେତୁ ଆସୁଥିଲେ ତ ପୁଣି କେହି ନିଜର ଭୌତିକ ଉତ୍ଠାନ ର କାମନା କରୁଥିଲେ |
ବାବା ମଧ୍ୟ ସମସ୍ତଙ୍କୁ, ଯିଏ ତାଙ୍କ ଆଶ୍ରାକୁ ଆସୁଥିଲା,ଆଲ୍ଲା ମାଲିକ୍ କହି ଆଶୀର୍ବାଦ ଦେଉଥିଲେ |ସେ ପ୍ରାୟତଃ ନିଜ ଭକ୍ତ ସମୁଦାୟ-ଯେଉଁମାନେ କି ବିଭିନ୍ନ ଧର୍ମ,ଜାତି ଓ ବର୍ଣ୍ଣର ଥିଲେ,ସେମାନଙ୍କୁ ନିଜ ହାତ ତିଆରି ରାନ୍ଧଣା ପରଶୁ ଥିଲେ ଓ ସମସ୍ତେ ଖାଇ ସାରିଲା ପରେ ଯାଇ ନିଜେ ଖାଦ୍ୟ ଗ୍ରହଣ କରିଥିଲେ |ଏପରିକି ପଶୁ ପକ୍ଷୀ ମଧ୍ୟ ତାଙ୍କ ରନ୍ଧା ଖାଦ୍ୟ ଗ୍ରହଣ କରୁଥିଲେ |ଶିରିଡି ସାଇଙ୍କ ଉଦାର ହୃଦୟ ଓ ଦୃଷ୍ଟି ସବୁ ପ୍ରାଣୀଙ୍କ ପାଇଁ ଥିଲା ଏବଂ ଶିରିଡିବାସୀ ଏହି ମହାନ ସନ୍ଥଙ୍କୁ ନିଜ ଦ୍ୱାରା ଲଗାଯାଇଥିବା ଜୁଇ,ଜାଇ,ହୀନା ଆଦି ଗଛ ଗୁଡିକରେ ପାଣି ସିଞ୍ଚନ କରିଥିବା ମଧ୍ୟ ଦେଖିବାକୁ ପାଉଥିଲେ |ସୃଷ୍ଟିର ପ୍ରତ୍ୟେକ ତତ୍ତ୍ୱ୍/ପ୍ରାଣୀ ଶ୍ରୀ ଶିରିଡି ସାଇଙ୍କ ସ୍ନେହମୟୀ ଦୃଷ୍ଟି ଦ୍ବାରା ଲାଳିତ-ପାଳିତ ତଥା ହର୍ଷିତ ହେଉଥିଲେ |
ବାବା ପ୍ରାୟତଃ ଲୋକଙ୍କୁ ଅନ୍ୟ ସୁଫୀ ସନ୍ଥଙ୍କ ପରି ଶ୍ରଦ୍ଧା(ବିଶ୍ୱାସ) ଓ ସବୁରୀ(ଧୈର୍ଯ୍ୟ) କୁ ଆପଣେଇବାକୁ କହୁଥିଲେ |ଏହି ଦୁଇଟି ଗୁଣ ମନୁଷ୍ୟକୁ ଆଧ୍ୟାତ୍ମିକ ପଥ ରେ ଅଗ୍ରଗତି କରିବାକୁ ତଥା ଈଶ୍ୱରୀୟ ଅନୁକମ୍ପା ପାଇବାକୁ ଯୋଗ୍ୟ କରିଥାଏ |ବାବା କେବେହେଲେ ବାହୁଶ୍ରମ ସିଦ୍ଧି ବା କୌଣସି ବିଧିବିଧାନର ଆଶ୍ରୟ ନେବାକୁ କହୁ ନଥିଲେ ବରଂ ସରଳ ମାନବିକତା କୁ ଆପଣେଇବାକୁ ସର୍ବଦା ପ୍ରେରଣା ଦେଉଥିଲେ|
ବାବା ନିଜ ଜୀବନ କାଳ ମଧ୍ୟରେ ଅନେକ ଚମତ୍କାରୀ ଲୀଳା କରିଥିଲେ,ଯେପରି ପାଣିରେ ଦୀପ ଜଳାଇବା(ଯାହାକି ଅନ୍ୟ ସୁଫୀ ସନ୍ଥଙ୍କ ଜୀବନ ଚରିତରେ ମଧ୍ୟ ଲେଖାହୋଇଛି),ରୋଗୀମାନଙ୍କୁ ଚମତ୍କାରୀ ଢଙ୍ଗରେ ରୋଗମୁକ୍ତ କରିବା ଇତ୍ୟାଦି ଇତ୍ୟାଦି | ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକ ବାବାଙ୍କ ଏହିପରି ଚମତ୍କାର ସବୁ ନିଜେ ଅନୁଭବ କରୁଛନ୍ତି ଯାହକି ତାଙ୍କର ଦେହାବସାନ ପୂର୍ବର ଦୁଇ ପ୍ରତିଶୃତି-ଏହି ମରଶରୀର ତ୍ୟାଗ କରି ମଧ୍ୟ ମୁଁ ସର୍ବଦା କ୍ରିୟାଶୀଳ ଓ ଶକ୍ତିମନ୍ତ ରହିବି ଏବଂ ମୋ ସମାଧୀ ମୋ ଭକ୍ତମାନଙ୍କୁ ଆବଶ୍ୟକତାନୁଯାୟୀ ଉପଦେଶ ଓ ସାହାଯ୍ୟ ପ୍ରଦାନ କରିବ କୁ ସତ୍ୟ ପ୍ରମାଣିତ କରିଥାଏ |
ଶିରିଡି ସାଇବାବା, ଶିରିଡି ର ଏକ ଜୀର୍ଣ୍ଣ ଶୀର୍ଣ୍ଣ ମସ୍ଜିଦ୍ ଯାହାକୁ କି ସେ ଦ୍ବାରକାମାୟୀ ବୋଲି କହୁଥିଲେ, ଏହା ହିଁ ବର୍ତ୍ତମାନ ସମାଜ ର ବିଭିନ୍ନ ଧର୍ମ,ଜାତି ଓ ବର୍ଗର ଲୋକଙ୍କ ଆଶ୍ରୟସ୍ଥଳ ହୋଇଛି | ସେ ଦେହରେ ଏକ ଲମ୍ବା ବସ୍ତ୍ର(ଯାହାକୁ କାଫ୍ନୀ କୁହାଯାଏ) ପିନ୍ଧୁ ଥିଲେ ଓ ମୁଣ୍ଡ ରେ ଏକ ବସ୍ତ୍ର ଟୋପି ସଦୃଶ ଗୋଡେଇଥିଲେ ଯାହାର କିଛି ଭାଗ ତାଙ୍କ ପଛ ପାଖ ବାମ କାନ୍ଧ ଉପରେ ପଡି ରହୁଥିଲା|ଏହିପରି ଅନ୍ୟ ସୁଫୀ ସନ୍ଥଙ୍କ ପରି ସରଳ ଥିଲା ତାଙ୍କ ଜୀବନଶୈଳୀ |ତାଙ୍କ କର୍ଣ୍ଣରେ ହିନ୍ଦୁ ନାଥ ଯୋଗୀଙ୍କ ଭଳି ଛିଦ୍ର ଥିଲା ଅନ୍ୟ ସୁଫୀ ସନ୍ଥଙ୍କ ଭଳି ସେ କୱାଲୀ ଶୁଣୁଥିଲେ ତଥା ପ୍ରଜ୍ଜ୍ୱଳିତ ଅଗ୍ନି ଧୂନୀ ସମ୍ମୁଖ ରେ ବସି ଭଗବାନଙ୍କ ସ୍ମରଣପୂର୍ବକ ଆଲ୍ଲା ମାଲିକ୍ କହୁଥିଲେ |ବାବା ପବିତ୍ର ଧୂନୀ ରୁ ବାହାରୁଥିବା ପାଉଁଶ/ବିଭୂତି,(ଯାହାକୁ ସେ ଉଦି ବୋଲି କହୁଥିଲେ) ମୁକ୍ତ ହସ୍ତରେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରୁଥିଲେ ଯାହାକି ଭକ୍ତଙ୍କୁ କଠିନରୁ କଠିନତମ ପୀଡା ବା ଦୁଃଖ ରୁ ମୁକ୍ତ କରିବା ନିମିତ୍ତ ସବୁଠାରୁ ସରଳ ପନ୍ଥା ଥିଲା |
ତେବେ ଏହା ହେଉଛି ସଦ୍ଗୁରୁ ଶ୍ରୀ ସାଇବାବାଙ୍କ ବୃହତ୍ ଅଲୌକିକ ସନ୍ଥ ବ୍ୟକ୍ତିତ୍ବ ଉପରେ ଏକ ଛୋଟ ଆଲେଖ୍ୟ |ଶ୍ରୀ ସାଇ ବାବା,ଯାହାଙ୍କୁ କି ନାଥ ସଂପ୍ରଦାୟର ଭକ୍ତ ଦତ୍ତାତ୍ରୟ, ଶୈବ ସଂପ୍ରଦାୟ ଭକ୍ତ ଶିବଙ୍କ ଅବତାର, ବୈଷ୍ଣବମାନେ ନାରାୟଣଙ୍କ ଅବତାର ବୋଲି ମାନୁଥିଲେ କିମ୍ବା ସେ ସୁଫୀ ସନ୍ଥ ଥିଲେ ଯିଏ କି ନିଜର ଦର୍ଶନ,ଜୀବନଶୈଳୀ ତଥା ସିଦ୍ଧାନ୍ତ ଦ୍ବାରା ଜନସମାଜର ଆଧ୍ୟାତ୍ମିକ ପ୍ରଗତି କରିଥିଲେ, ଜାତି,ଧର୍ମ,ବର୍ଣ୍ଣ ଆଦିରେ ବାଣ୍ଟି ହୋଇଥିବା ସାମାଜିକ ପୃଷ୍ଠଭୂମି ରେ ମାନବିକତାର ଗୋଟିଏ ଡୋରିରେ ସମସ୍ତଙ୍କୁ ବାନ୍ଧି ସମାଜର ଆଧ୍ୟାତ୍ମିକ ପ୍ରଗତି କରିଛନ୍ତି | ପ୍ରକୃତରେ କହିବାକୁ ଗଲେ ଶ୍ରୀ ଶିରିଡି ସାଇବାବା ସମସ୍ତ ପ୍ରାଣୀ ଙ୍କ ଦିବ୍ୟ କରୁଣାମୟୀ ଆଧାର ଅଟନ୍ତି ଯିଏ ନିଜ ଆଶ୍ରିତଙ୍କ ରକ୍ଷାକର୍ତ୍ତା ତଥା ପଥପ୍ରଦର୍ଶକ ଅଟନ୍ତି |
ଯଦିଓ ବାବା ୧୯୧୮ ମସିହା ଅକ୍ଟୋବର୍ ୧୫ ରେ ସମାଧିସ୍ଥ ହେଲେ, ତଥାପି ତାଙ୍କ ଦିବ୍ୟ ଅଲୌକିକ ଉପସ୍ଥିତି ଓ ତାଙ୍କ ଭକ୍ତମାନଙ୍କ ସହିତ ହେଉଥିବା ବିଭିନ୍ନ ଚମତ୍କାର ଅନୁଭବ, ଦିନ ପ୍ରତିଦିନ ବଢିଚାଲିଥିବା ତାଙ୍କ ଭକ୍ତଙ୍କୁ ତାଙ୍କର ସର୍ବବ୍ୟାପକତା ଏବଂ ସର୍ବବିଦ୍ୟତା ର ଅନୁଭବ କରେଇଥାଏ |
ବାବା ଯେ ନିଜ ଭକ୍ତଙ୍କ ପାଇଁ ସାକ୍ଷାତ୍ ଈଶ୍ୱର ଅଟନ୍ତି,ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ବରଂ ଏହା ଭକ୍ତଙ୍କ ନିଜର ଅନୁଭୂତି ଅଟେ |
|| ଶ୍ରୀ ସାଇନାଥ ସମର୍ପଣମସ୍ତୁ, ଶୁଭଂ ଭବତୁ ||
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 


