Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ପୂଜ୍ୟ ଗୁରୁଜୀଙ୍କ ରଚିତ ହିନ୍ଦୀ ପୁସ୍ତକ ବାବା ଆଧ୍ୟାତ୍ମିକ ବିଚାର ରେ ପ୍ରକାଶିତ ଭକ୍ତଙ୍କ ଦ୍ବାରା ପଚାରାଯାଇଥିବା କିଛି ପ୍ରଶ୍ନ ଏବଂ ଗୁରୁଜୀଙ୍କ ପ୍ରଦତ୍ତ ଉତ୍ତର ର କିୟଦଂଶ |

୧. ଏହି ସାଇ ଶବ୍ଦର ଅର୍ଥ କ’ଣ ? ବିଭିନ୍ନ ପ୍ରସଙ୍ଗରେ ମୁଁ ଏହି ଶବ୍ଦଟି ଶୁଣୁବାକୁ ପାଏ, ତେଣୁ ଦ୍ବନ୍ଦ୍ବରେ ପଡିଯାଏ |
ଉ:ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ, ଓଡିଆ, ମରାଠୀ ଆଦି ବହୁ ଭାରତୀୟ ଭାଷାରେ ଏହି ଶବ୍ଦଟି ବ୍ୟବହାର କରାଯାଏ | ସାଇ ଶବ୍ଦର ଅର୍ଥ ହେଉଛି ତ୍ରାଣକର୍ତ୍ତା, ପ୍ରଭୁ ବା ଈଶ୍ବର ସଦ୍‌ଗୁରୁ | ଶାସକ, ରାଜା, କ୍ଷମତାଶାଳୀ ବ୍ୟକ୍ତି, ପିତା, ଏପରିକି ପ୍ରେମିକକୁ ମଧ୍ୟ ସ୍ଥଳ ବିଶେଷରେ ସାଇ ସମ୍ବୋଧନ କରାଯାଏ

୨. ଶିରିଡି ସାଇ ବାବା କିଏ ଥିଲେ ? ସେ ଜଣେ କେବଳ ସଦ୍‌ଗୁରୁ ଥିଲେ ନା ସ୍ବୟଂ ଅବତାର-ଦୟାକରି କୁହନ୍ତୁ |
ଉ:ଶିରିଡି ସାଇବାବା ଅବତାର ଥିଲେ କି ସଦ୍‌ଗୁରୁ ତାହା ଜାଣିବା ପୂର୍ବରୁ ଅବତାର ଓ ସଦ୍‌ଗୁରୁ ମଧ୍ୟରେ ତଫାତ୍‌ କ’ଣ ତାହା ଜାଣିବା ଉଚିତ୍‌ | ସଦ୍‌ଗୁରୁ ସିଏ, ଯିଏ ଜ୍ଞାନର ଆଲୋକ ଦର୍ଶାଇ ଅଜ୍ଞାନର ଅନ୍ଧକାର ଧ୍ବଂସ କରନ୍ତି |ସିଏ ସଦ୍‌ଗୁରୁ, ଯିଏ ଆମ୍ଭମାନଙ୍କୁ ଭଗବାନଙ୍କ ଠାରେ ପହଞ୍ଚିବା ପାଇଁ ମାର୍ଗ ଦର୍ଶନ କରେଇଥାନ୍ତି | ମାନବଜାତି ର ଅଗ୍ରଗତି କରେଇବା ପାଇଁ ସ୍ବୟଂ ଈଶ୍ବର ଅବତରି ଥାଆନ୍ତି |ଧର୍ମର ପ୍ରତିଷ୍ଠା ପାଇଁ ସେ କେବେ ସମୁଦାୟ ଷୋହଳ କଳା ଘେନି ପୂର୍ଣ୍ଣ ଅବତାର ରୂପ ଗ୍ରହଣ କରନ୍ତି ତ କେବେ ଆଂଶିକ ଅବତାର ରୂପ ଗ୍ରହଣ କରିଥାନ୍ତି | ଶ୍ରୀ ଶିରିଡି ସାଇବାବା ଯେ ଈଶ୍ବରଙ୍କ ଅବତାର ଏହା ମୁଁ ଦୃଢ ଭାବେ ବିଶ୍ବାସ କରେ | ମାନବଜାତିର କଲ୍ୟାଣ ସାଧନ ଓ ଧର୍ମର ସଂସ୍ଥାପନ ନିମନ୍ତେ ଈଶ୍ବର ଆବିର୍ଭୂତ ହୋଇଥିଲେ | ସେ ସବୁବେଳେ ଜଣେ ସାଧାରଣ ଫକୀର ଭଳି ଜୀବନଯାପନ କରୁଥିଲେ ଓ ନିଜକୁ ଈଶ୍ବରଙ୍କ ସାମାନ୍ୟ ଦାସ ବୋଲି କହୁଥିଲେ | ତେବେ ସମୟ ସମୟରେ ସେ କିଛି ଭକ୍ତ, ଯେଉଁମାନେ ପ୍ରକୃତରେ ତାଙ୍କ ଆଶୀର୍ବାଦର ପ୍ରାର୍ଥୀ ହେବାକୁ ଯୋଗ୍ୟ, ସେମାନଙ୍କ ଆଗରେ ସେ ନିଜକୁ ଈଶ୍ବରଙ୍କ ଅବତାର ବୋଲି କହୁଥିଲେ |ସେ ସର୍ବଜ୍ଞ, ସର୍ବବ୍ୟାପୀ ଏବଂ ସର୍ବଶକ୍ତିମାନ ଥିଲେ ଯେଉଁଥିପାଇଁ ତାଙ୍କୁ ଈଶ୍ବର ବୋଲି କୁହାଯାଇପାରେ | ତାଙ୍କର ପଞ୍ଚତତ୍ତ୍ବ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଥିଲା | ଅଗ୍ନି ଓ ବର୍ଷାକୁ ସେ କିପରି ନିଜର ନିୟନ୍ତ୍ରଣାଧୀନ କରିଥିଲେ ଶ୍ରୀ ସାଇ ସତ୍‌ଚରିତ୍ର ର ଏକାଦଶ ଅଧ୍ୟାୟରେ ଉଲ୍ଲେଖ ରହିଛି | ଅବତାର ମାନେ ଯେଉଁ ଧର୍ମ ପ୍ରତିଷ୍ଠା କରିଥାନ୍ତି, ଯେଉଁ ମାର୍ଗ ପ୍ରଦର୍ଶନ କରିଥାନ୍ତି-ତାହା ତାଙ୍କ ମହାପ୍ରୟାଣର ବହୁ ବର୍ଷ ପରେ ମଧ୍ୟ ପ୍ରସାରିତ ହେଉଥାଏ | ସଂପ୍ରତି ଭାରତ ତଥା ସାରା ବିଶ୍ବରେ ସାଇ ଚେତନାର ଯେଭଳି ବିପୁଳ ପ୍ରସାର ଲାଭ କରିଛି, ତାହା ହିଁ ଶିରିଡି ସାଇବାବାଙ୍କ ଆଧ୍ୟାତ୍ମ ଶକ୍ତିର ପ୍ରକୃଷ୍ଟ ପ୍ରମାଣ |

୩. ସାଂପ୍ରତିକ ବିଶ୍ବରେ ସାଇଙ୍କ ନୀତି ଓ ଆଦର୍ଶର କ’ଣ ପ୍ରାସଙ୍ଗିକତା ରହିଛି ?
ଉ:ଆଜି ବିଶ୍ବରେ ସାଇବାବାଙ୍କ ଏହି ମୁଖ୍ୟ ତିନି ଗୋଟି ଶିକ୍ଷାର ବେଶ୍‌ ମହତ୍ତ୍ବ ରହିଛି-

  • ସମସ୍ତ ଜୀବ- ପଶୁ,ପକ୍ଷୀ, କୀଟପତଙ୍ଗ ଙ୍କ ପ୍ରତି ପ୍ରେମପୂର୍ଣ୍ଣ ଭାବ-ବାବା ନିଜେ ଖାଇବା ପୃର୍ବରୁ କୁକୁରମାନଙ୍କୁ ଖୁଆଉଥିଲେ | ସେହି ନିର୍ଜୀବ ଶିଳା ଯାହା ସାଧାରଣତଃ ଲୁଗା ସଫା କରିବା ପାଇଁ ବ୍ୟବହାର କରାଯାଇପାରିଥାନ୍ତା, ତା’ ଉପରେ ସେ ବସି ତା’ ପ୍ରତି ନିଜର ଶ୍ରଦ୍ଧାକୁ ଦର୍ଶାଇ ଥିଲେ | ଆଜି ମଧ୍ୟ ସେହି ଶିଳା ଦ୍ବାରକାମାୟୀ ମସ୍‌ଜିଦ୍‌ ରେ ରହିଛି ତଥା ଭକ୍ତଙ୍କ ଦ୍ବାରା ପୂଜା ପାଉଛି | ଲୋକେ ଆଜି ଏହି ଶିକ୍ଷା ଗ୍ରହଣ କରି ଏହି ମାର୍ଗରେ ଚାଲିବା ଉଚିତ୍‌| ଭକ୍ତଗଣ ଅଜି ବାବାଙ୍କ ଏହି “ସର୍ବଜୀବେ ଦୟା” ନୀତିକୁ ଅନୁସରଣ କରୁଛନ୍ତି |ବିଭିନ୍ନ ଶିରିଡି ସାଇ ମନ୍ଦିର ମାନଙ୍କରେ ଆଜି ଭକ୍ତମାନେ ଗରିବ ଲୋକମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ବଣ୍ଟନ କରୁଛନ୍ତି, ଦରିଦ୍ର ନାରାୟଣ ସେବାମାନ ଅନୁଷ୍ଠିତ ହେଉଅଛି |
  • ଧର୍ମୀୟ ସହନଶୀଳତା-ଶିରିଡି ସାଇବାବା ହିନ୍ଦୁ, ମୁସଲମାନ, ପାର୍ସୀ ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖୁଥିଲେ |ତାଙ୍କ ଦର୍ଶନ ନିମନ୍ତେ ଆଜି ସମସ୍ତ ଧର୍ମ ଓ ସମ୍ପ୍ରଦାୟର ଲୋକ ଆସୁଛନ୍ତି | ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ଶିକ୍ଷା ଦେଉଥିଲେ | ବିଭିନ୍ନ ଧର୍ମ, ଗୋଷ୍ଠୀ ଓ ସମ୍ପ୍ରଦାୟ ମଧ୍ୟରେ ବିଦ୍ବେଷ ଭାବ ବଢିଚାଲିଛି | ଲୋକେ ଅନୁଭବ କରିବା ଉଚିତ କି ସମଗ୍ର ମାନବଜାତି  ଗୋଟିଏ | ଧର୍ମ ମତ ଭିନ୍ନ ହୋଇପାରେ କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ ଏକ ଅଟେ | ଏହି ପ୍ରସଙ୍ଗରେ ଶିରିଡି ବାବାଙ୍କ ଭକ୍ତମାନେ ଅତ୍ୟନ୍ତ ସହନଶୀଳ ଅଟନ୍ତି | ମୁସ୍‌ଲମାନ, ହିନ୍ଦୁ, ଖ୍ରୀଷ୍ଟିୟାନ, ଶିଖ୍‌ ଆଦି ବିଭିନ୍ନ ଧର୍ମର ଲୋକେ ଆଜି ଶିରିଡି ତଥା ଅନ୍ୟ ସାଇ ପୀଠ ମାନଙ୍କରେ ଭ୍ରାତୃସମ ଏକାଠି ବସି ନିଜ ନିଜର ମତ ଓ ଭାବ ଆଦାନ ପ୍ରଦାନ କରୁଥିବାର ଆମେ ଦେଖିଥାଉଁ | ସେମାନଙ୍କର ଦୃଢ ବିଶ୍ବାସ କି ପୁଷ୍ପ ସିନା ଭିନ୍ନ ଭିନ୍ନ ପ୍ରକାରର ହେଲେ ଆରାଧ୍ୟ/ଦେବତା ସଭିଙ୍କର ଜଣେ | ନକ୍ଷତ୍ର ଭିନ୍ନ ଭିନ୍ନ ହେଲେ ଆଲୋକର ସ୍ରୋତ ତ ଗୋଟିଏ | ସେହିପରି ମାର୍ଗ ଅନେକ ଥାଇପାରେ ହେଲେ ଲକ୍ଷ୍ୟ ସଭିଙ୍କର ଏକ |
  • ଜାତୀୟ ଏକତା-ସାମଜିକ ସ୍ତର ବା ଶ୍ରେଣୀଗତ ପାର୍ଥକ୍ୟ ଦୃଷ୍ଟିରୁ ଅପର ପ୍ରତି ଦ୍ବେଷଭାବ ବହନ କରିବାକୁ ଶିରିଡି ସାଇବାବା କେବେ ହେଲେ ପ୍ରଶ୍ରୟ ଦେଉ ନଥିଲେ | ସେ ବ୍ରାହ୍ମଣଙ୍କୁ କୁଷ୍ଠ ରୋଗୀ ସାଥେ ଖାଇବାକୁ ଦେଉଥିଲେ | ଯଦି କେହି ଏପରି କରିବାକୁ ନାପସନ୍ଦ କରୁଥିଲେ ତେବେ ସେ ବାବାଙ୍କ ଦ୍ବାରା ଭର୍ସିତ ହେଉଥିଲେ ଏବଂ ପରମାତ୍ମା ଯେ ସମସ୍ତଙ୍କଠାରେ ବିଦ୍ୟମାନ୍ ତାହା ବାବା ତାଙ୍କୁ ଶିକ୍ଷା ଦେଉଥିଲେ |ଯଦି କେହି ଏପରି ଅସ୍ପୃଶ୍ୟ ମାନଙ୍କୁ ଘୃଣା କରିଥାଏ, ତେବେ ସେ ବାସ୍ତବରେ ସେମାନଙ୍କ ମଧ୍ୟରେ ନିହତ ସେହି ପରମାତ୍ମାଙ୍କୁ ହିଁ ଘୃଣା କରିଥାଏ | ବାବାଙ୍କ ଅନୁଗତ ଏହି ଆଦର୍ଶ କୁ ମାନିବା ଉଚିତ୍‌ | ସମସ୍ତଙ୍କୁ ନିଜର ପରିବାରର ସଭ୍ୟ ଭଳି ଦେଖନ୍ତୁ  ତଥା ଖୁସିରେ ରୁହନ୍ତୁ | ଆମେ ସମସ୍ତେ ପରମପିତା ଈଶ୍ବରଙ୍କ ସନ୍ତାନ- ଏହା ମାନିବା ଉଚିତ୍‌ |

୪. ଜନ୍ମାନ୍ତର ଅଛି କି ? ବାବା ଏଥିରେ ବିଶ୍ବାସ କରୁଥିଲେ କି ?
ଉ:ହଁ, ଶ୍ରୀ ସାଇ ସତ୍‌ଚରିତ୍ରରେ ବାବା ଅନେକ ସହିତ ଅତୀତ ଜନ୍ମର ଚର୍ଚ୍ଚା କରିଥିବାର ନଜିର୍‌ ରହିଛି |କେବଳ ମାନବସଭ୍ୟତା ନୁହେଁ, ବରଂ ଅନ୍ୟାନ୍ୟ ଜୀବ ଯେପରିକି ସାପ, ବେଙ୍ଗ ଆଦିଙ୍କ ପୂର୍ବ ଜନ୍ମ ସଂପର୍କରେ ସେ କହିଛନ୍ତି | ପୂର୍ବ ଜନ୍ମର ଅସମ୍ପୂର୍ଣ୍ଣ ସମ୍ପର୍କ ଯୋଗୁଁ ହିଁ ପର ଜନ୍ମରେ ଜଣେ ଆଉ ଜଣଙ୍କର ସଂପର୍କରେ ଆସିଥାଏ |ପୂର୍ବ ଜନ୍ମର କର୍ମ ରୁ ହିଁ ଏହି ଜନ୍ମରେ ମନୁଷ୍ୟ ସୁଖ ବା ଦୁଃଖ ଭୋଗି ଥାଏ |କେହି ଜଣେ ମହିଳାଙ୍କୁ ବାବା ନିଜ ପୂର୍ବ ଜନ୍ମ ର ଭଉଣୀ ବୋଲି ମଧ୍ୟ କହିଥିଲେ |ଯେପର୍ଯ୍ୟନ୍ତ ଆମେ ଏହା ଭାବିବା କି ଆମର ସମସ୍ତ କର୍ମର ଫଳ ଆମକୁ ସେହି ଜନ୍ମରେ ହିଁ ମିଳିବ ତଥା ମୃତ୍ୟୁ ପରେ ଆଉ କିଛି ନାହିଁ, ଏବଂ ପରବର୍ତ୍ତୀ ଜନ୍ମ ବୋଲି କିଛି ନାହିଁ, ତେବେ ଗୋଟିଏ ବିରାଟ ପ୍ରଶ୍ନ ଅସମାହିତ ହୋଇ ରହିଯିବ କି ନିରପେକ୍ଷ ଓ ଦୟାମୟ ଈଶ୍ବର କାହିଁକି ଏହି ବିଷମ ସଂସାର ସୃଷ୍ଟି କରିଛନ୍ତି, ଯେଉଁଠାରେ ନାନା ପରିସ୍ଥିତି ରେ ନାନା ସାମର୍ଥ୍ୟ ରଖୁଥିବା ବ୍ୟକ୍ତି ରହିଛନ୍ତି, କିଏ ସୁଖ ପାଉଛି ତ ଆଉ କିଏ ଦୁଃଖ | ସୃଷ୍ଟିରେ ଏହି ବୈଷମ୍ୟର କାରଣ ହେଉଛି କର୍ମବାଦ, ଯାହା ହିନ୍ଦୁ ଧର୍ମ ଶାସ୍ତ୍ରର ଏକ ବିଶିଷ୍ଟ ବିଭାବ | ଏପରି ନ୍ ହୋଇଥିଲେ ଈଶ୍ବରଙ୍କ ନିରପେକ୍ଷ ତଥା ଦୟାଶୀଳ ସତ୍ତାକୁ ବୁଝି ହୁଅନ୍ତା ନାହିଁ |

୫. ମୃତ୍ୟୁ ପରେ ଆମର ଆତ୍ମା କେଉଁଆଡେ ଯାଏ; ଦୟା କରି କହିବେ କି ?
ଉ:ଆତ୍ମା ଶକ୍ତିର ଏକ ସୂକ୍ଷ୍ମ ସ୍ବରୂପ |ମୃତ୍ୟୁ ପରେ ଏହା ଅଦୃଶ୍ୟ ଶକ୍ତିର ସୂକ୍ଷ୍ମସ୍ତରରେ ରହିଥାଏ |ପୁନର୍ଜନ୍ମ ନ ହେଲା ଯାଏଁ ଆତ୍ମା ଏହି ଅବସ୍ଥାରେ ଥାଏ ଏବଂ ତା’ ପରେ ସେ ଧୀରେ ଧୀରେ ପରିପ୍ରକାଶିତ ହୋଇଥାଏ |

୬. ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ପ୍ରତ୍ୟେକ ଜୀବାତ୍ମାର ସୂଷ୍ଟି-ଏହା କ’ଣ ସତ୍ୟ ?
ଉ:ହଁ, ଆମେ ଘର ତିଆରି କରିବା ଆଗରୁ ନକ୍ସା ତିଆରି କରିବା ଭଳି ଈଶ୍ବର ମଧ୍ୟ ଆମ ସମସ୍ତଙ୍କ ଜୀବନର ଏକ ନକ୍ସା ପ୍ରସ୍ତୁତ କରିଛନ୍ତି |ପ୍ରତ୍ୟେକ ମନୁଷ୍ୟର ଏକ ଉଦ୍ଦେଶ୍ୟ ପୁର୍ଣ୍ଣ କରିବାର ଥାଏ ଏବଂ ଏହା ପୂର୍ଣ୍ଣ ହେଲା ଯାଏଁ ଧରାରେ ପ୍ରତ୍ୟେକ ଜୀବାତ୍ମା ତିଷ୍ଠି ରହିଥାଏ |

୭. ଜୀବନର ପ୍ରକୃତ ଲକ୍ଷ୍ୟ କଅଣ?
ଉ:ଆତ୍ମା, ଯାହା ହେଉଛି ଦିବ୍ୟ, ଏହାର ଉପଲ୍ବଧି ହେଉଛି ଜୀବନର ପ୍ରକୃତ ଲକ୍ଷ୍ୟ |ଥରେ ଏହା ସାଧିତ ହୋଇଗଲେ ଆଉ ପୁନର୍ଜନ୍ମ ନାହିଁ | ଏହି ସାଂସାରିକ ଜୀବନ ମଧ୍ୟ ଦେଇ ଆମକୁ ସେହି ଶିଖର ସୋପାନରେ ପହଞ୍ଚିବାକୁ ପଡିବ |

ଅଧିକ ପ୍ରଶ୍ନ-ଉତ୍ତର  ଶ୍ରୀ ସାଇ ଜିଜ୍ଞାସା ଓ ମୀମାଂସା ରେ ସ୍ଥାନିତ ହୋଇଛି, ଯାହା କି ପୂଜ୍ୟ ଗୁରୁଜୀଙ୍କ ରଚିତ ହିନ୍ଦୀ ପୁସ୍ତକ ବାବା ଆଧ୍ୟାତ୍ମିକ ବିଚାର ର ଓଡିଆ ଅନୁବାଦ |

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ